Friday, September 21, 2018

ଜାଲ ନୋଟ୍‍ କାରବାର ଚେର ଭଦ୍ରକରୁ ବାଂଲାଦେଶ ଯାଏ ଲମ୍ବ


ରାଜନଗର,୨୧ା୯  ; ରାଜନଗର ବ୍ଲକରେ ନକଲି ନୋଟର ଚୋରା ଚାଲାଣ ନେଇ ପୂର୍ବରୁ ଖବର ପ୍ରକାଶ ପାଇ ଆସୁଥିଲା । ଯାହା ଏବେ ସତ୍ୟରେ ପରିଣତ ହୋଇଛି । ଗୁରୁବାର ସେକ ରବିନ ହୁସେନ ନାମକ ଯୁବକ ନକଲି ନୋଟ ସହ ରାଜନଗର ବଜାରରେ ଧରା ପଡିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତା ବିରୁଦ୍ଧରେ ମାମଲା ରୁଜୁକରି ପୋଲିସ ତାକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ରବିନ ଧରା ପଡିବା ପରେ ଜାଲନୋଟ ଖୋଳତାଡ ଆରମ୍ଭ କରିବା ଘଟଣାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଏହି ଜାଲନୋଟ କାରବାର ଦୀର୍ଘଦିନ ହେବ ଚାଲିଥିଲେ ମଧ୍ୟ ପ୍ରଶାସନ ନିକଟରେ ଖବର ନଥିଲା ନାଁ ଜାଣି ନୀରବ ରହୁଥିଲା, ଯାହାକୁ ନେଇ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ଲକ ଡାଙ୍ଗମାଳ ପଂଚାୟତ ଶାରଦାପ୍ରସାଦ ଗ୍ରାମର ସେକ୍ଅବୁଲ ହୁସେନଙ୍କ ବଡପୁଅ ରବିନ୍ ହୁସେନ କୁକୁଡା ବ୍ୟବସାୟ କରେ । ରାଜନଗର ବଜାରରେ ଗୁରୁବାର ତାଠାରୁ ଦୁଇଟି ୨ଶହ ଟଙ୍କିଆ ଓ ଗୋଟିଏ ୫ଶହ ଟଙ୍କିଆ ଜାଲ ନୋଟ ଜବତ ହୋଇଥିବା ବେଳେ ବ୍ଲକ ଛକରେ ଥିବା ନିଗମ ମେଡିସିନ୍ ଷ୍ଟୋରରେ ଗୋଟିଏ ୨ଶହ ଟଙ୍କିଆ ଜାଲ ନୋଟ ଦେଇ ଔଷଧ କିଣି ଚାଲି ଯାଇଥିବା ବେଳେ ରବିନ୍କୁ ପୋଲିସ ଥାନାକୁ ନେବା ପରେ ମେଡିସିନ ଦୋକାନୀ ମଧ୍ୟ ଥାନାରେ ୨ଶହ ଟଙ୍କିଆ ନୋଟ ଦାଖଲ କରିଛି । ତାକୁ ପୋଲିସ ଜେରାବେଳେ କେବଳ ଭଦ୍ରକର ମହାନ୍ତିବାବୁ ବୋଲି ଜଣେ ଲୋକ ମୋଠାରୁ କୁକୁଡା ନେଇ ଏ ଟଙ୍କା ଦେଇଛି ବୋଲି କହିଛି । ୧୦ଦିନ ପୂର୍ବରୁ ରବିନ୍ କେତେ ନକଲି ନୋଟ ଆଣିଥିଲା ଏବଂ କେତେ ଟଙ୍କା କେଉଁଠି କାରବାର କରିଛି, ତାହା ଜାଣିବା ମୁସ୍କିଲ । ଏହି ନକଲି ନୋଟ କେବଳ ତା ନିକଟରେ ଅଛି ନାଁ ଅନ୍ୟ ମାନଙ୍କ ନିକଟରେ ଅଛି ଏବଂ କେଉଁମାନେ ଏହି ନକଲି ନୋଟ ର‌୍ୟାକେଟରେ ସଂପୃକ୍ତ ତାହା ଅନୁସନ୍ଧାନ ସାପେକ୍ଷ । ରାଜନଗର ଥାନା ଓ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ରଙ୍କ କହିବାନୁଯାୟୀ ତାଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛନ୍ତି । ତଦନ୍ତ ସମୟରେ ତା ଘରୁ କିଛି ପାଇନଥିବା କହିଛନ୍ତି । ଅପରଫକ୍ଷରେ ରବିନର ମାଆ ପୋଲିସକୁ ଦେଖି ଅଚେତ ହୋଇଯାଇଥିଲା । କିନ୍ତୁ ତାଙ୍କର କିଛି ପଡୋଶୀଙ୍କ କହିବା କଥା ବହୁ ଅଚିହ୍ନା ଅଜଣା ଲୋକ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରିଥାନ୍ତି । ତାଙ୍କ ପିତା ମୁର୍ସିଦାବାଦର ମୂଳ ବାସିନ୍ଦା ବୋଲି ଜଣାପଡିଛି । ଏହି ନକଲି ନୋଟ କାରବାର ଚେର କେବଳ ଭଦ୍ରକ ନୁହେଁ ବାଙ୍ଗଲାଦେଶ ଯାଏ ଲମ୍ବିଥିବା ଅଭିଯୋଗ ହେଉଛି । ପୋଲିସ ରବିନକୁ କୋର୍ଟରୁ ରିମାଣ୍ଡରେ ଆଣି ତାକୁ ପଚରାଉଚରା କରିବ ବୋଲି ଜଣାପଡିଛି । ମାତ୍ର ତା ନିକଟରୁ କେତେ ତଥ୍ୟ ବାହାର କରିବ ତାହା ସମୟ କହିବ । ତାଳଚୁଆ ସାମୁଦ୍ରିକ ଥାନା ଅଂଚଳ ବଙ୍ଗୋଭାଷୀ ଅଧୁଷିତ ହୋଇଥିବାରୁ ଭାରତୀୟ ଓ ବାଙ୍ଗଲାଦେଶୀଙ୍କୁ ଚିହ୍ନିବା କଷ୍ଟକର ହେଉଛି । ଏହାର ସୁଯୋଗ ନେଇ ବାଙ୍ଗଲାଦେଶୀମାନେ ଏହି ଅଂଚଳରେ ନକଲି ନୋଟ କାରବାର, ବିଭିନ୍ନ ବନ୍ୟଜନ୍ତୁଙ୍କ ଶୀକାର ଓ ଚୋରା ଚାଲାଣରେ ପ୍ରମୁଖ ଭୂମିକା ରହିଛି ବୋଲି ଅଭିଯୋଗ ହେଉଛି । ତାଳଚୁଆ ଅଂଚଳରେ ଏଭଳି ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଲକ୍ଷ୍ୟକରି ତାଳଚୁଆରେ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ୨୦୧୪ମସିହାରୁ ଫାଣ୍ଡିକୁ ସାମୁଦ୍ରିକ ଥାନାରେ ପରିଣତ କରାଯାଇଛି । ବେଳ ଥାଉଁଥାଉଁ ପ୍ରଶାସନ ଏଦିଗରେ ସଚେତନ ନହେଲେ ନେଡିଗୁଡ କହୁଣୀକୁ ବୋହିଯିବ ।

No comments:

Post a Comment